ମରମର କଥା
ବେଳେବେଳେ ମେଘୁଆ ଆକାଶର ବିଜୁଳି ଚମକରେ ହଠାତ୍ ଚମକିଉଠେ ମୋର ଶିଥିଳ ତନୁ । ଅନାବନା କଥାର ଦରିଆ ଢେଉ ଭାଙ୍ଗେ ମୋ ସ୍ମୃତିର ଦୁଆରେ । ଯାହା ଭିତରେ ମୁଁ ତଲ୍ଲୀନ ହୁଏ ଆଉ ନିଜକୁ ନିଜେ କରେ ଅନ୍ବେଷଣ । ସମୟ ସାଥେ ମୋର ବେଶି କିଛି ତାଳମେଳ ନାହିଁ । ସେ ଯେବେ ଫଗୁଣରେ ଫଗୁ ଖେଳୁଥାଏ, ମୋ ଅଗଣାରେ ଶୀତୁଆ ସକାଳ ଅଣ୍ଟା ସଳଖୁଥାଏ । ସେଥିପାଇଁ, ସମୟ ସହ ମୋର ଟିକେ ଅପଡ଼ ହୋଇଛି । ଚପଳମତି ବାଳକ ପରି ଓଠରେ ମେଞ୍ଚାଏ ହସ ବୁଣି ସେ ଡେଇଁ ଡେଇଁ ଆଗେଇ ଚାଲିଛି ଆଉ ମୁଁ ଜୀବନର ରୁକ୍ଷ ପ୍ରସ୍ତରରେ ଆଘାତ ପାଇ ରହିଯାଇଛି ଟିକେ ପଛରେ । ତଥାପି ତ ଚାଲିବାକୁ ହେବ କାରଣ ଏଠି ଆଖିରେ ଅଛି ମୁଠାଏ ସ୍ଵପ୍ନ ଆଉ କାନ୍ଧରେ ଅନନ୍ତ ଦାୟିତ୍ୱର ବୋଝ । ଏତିକି ମାତ୍ର ଆଘାତରେ ଥକି ପଡ଼ିଲେ କ'ଣ ହେବ ? ସେଥିପାଇଁ ମୁଁ ଚାଲିଛି ଜୀବନ ସହ ସାଲିସ୍ କରି ହଁ, ଚାଲିବାକୁ ହେବ । କାରଣ ଏଠି ଜୀବନର ଅନ୍ୟ ନାମ ଯନ୍ତ୍ରଣା ଆଉ ସାହସର ଅନ୍ୟ ନାମ ଜୀବନ ।
Ad
Poetry Books 50% Off
Bestselling collections from top poets
Shop Now →
