ଯଦି ମୁଁ ଜଣେ କବି ହୁଅନ୍ତି
ଯଦି ,ମୁଁ ଜଣେ କବି ହୁଅନ୍ତି, କବିତା କୁ କବିତା ନୁହଁ ,ତମ ପ୍ରତିଛବି କୁହନ୍ତି । ବଧିର ଅନ୍ଧାର ରାତିରେ ବସି ତମକୁ ଶୁଣନ୍ତି , ପୁଁନେଇ ଜ୍ୟୋତ୍ସ୍ନାର ପରଦାରେ ଅପୁରା ସ୍ୱପ୍ନ ବୁଣନ୍ତି , ଯଦି, ମୁଁ ଜଣେ କବି ହୁଅନ୍ତି...। ମୋ ଅଛପା ଡାଏରୀରେ ତମ ନାଁ କୁ ଲୁଚେଇ ଲେଖନ୍ତି , ବାର ବାର ଲେଖି ବାର ବାର ମିଟେଇ ଦିଅନ୍ତି। ତମ ସରୁ ସରୁ ଅଙ୍ଗୁଳିରେ, ବୁଣନ୍ତି ଆଶାର ଟୋକେଇ , ତମକୁ ନିଜ ନାରେ ନୁହଁ, ଡାକନ୍ତି ମୋର କହି । ନିଶବ୍ଦ ମୋର ଅଗଣାରେ, ତମ ପାଦଧ୍ଵନି ଶୁଣନ୍ତି, ନିଜ କଥା କେବେ ମନେ ପଡ଼ି ଗଲେ , ତମ ବିଷୟରେ ଲେଖନ୍ତି, ଯଦି ,ମୁଁ ଜଣେ କବି ହୁଅନ୍ତି... । ମୋ ଭାବନାର ମୂଳ ବିନ୍ଦୁ ସବୁ, ହୁଅନ୍ତା ତମ ନା, ପ୍ରତିଟି ଲେଖାର ତାତ୍ପର୍ଯ୍ୟ ହୁଅନ୍ତା ତମରି ବର୍ଣ୍ଣନା । ଦୁଇ ଆଖିବୁଜି ତମ ବାସ୍ନା ପବନେ ଖୋଜନ୍ତି , ହୃଦୟକୁ, ହୃଦୟ ନୁହଁ ଘର ତମରି କହନ୍ତି, ଯଦି ,ମୁଁ ଜଣେ କବି ହୁଅନ୍ତି...। ମୋ ଲେଖାର ପରିଧି, ତମ ଯାଏ ସୀମିତ ରୁହନ୍ତା, ପହିଲି ବର୍ଷାର ବୁନ୍ଦା କୁ ଛୁଇଁ, ତମରି ନାଁ ଦିଅନ୍ତା । ତମ ଚାହାଣିକୁ ମନ ଆଲ୍ମାରିରେ ସାଇତି ରଖନ୍ତି, ଛତ ଉପରେ ବସି ,ତମ କଥା ତାରାକୁ କୁହନ୍ତି । ଅବଶିଷ୍ଟ ଜୀବନର ହସ୍ତଲିପି , ତମ ହାତ ପାପୁଲିରେ ଲେଖନ୍ତି , ଯଦି, ମୁଁ ଜଣେ କବି ହୁଅନ୍ତି...। ମୋ ନୀରସ କବିତାରେ , ତମ ନାଁ ର ଅଳଙ୍କାର ଗଢନ୍ତି, ଲାଜମିଶା ତମ ଶବ୍ଦ ଦିପଦ ଯୋଡ଼ନ୍ତି, ତମ ଅପଲଖ ଆଖି ବିରାମ ଟିକିଏ ଦିଅନ୍ତି । ତମ ହସକୁ ହସ ନୁହଁ, ଅମ୍ଳଜାନ ମୋର କୁହନ୍ତି । ଯଦି, ମୁଁ ଜଣେ କବି ହୁଅନ୍ତି , କବିତାକୁ କବିତା ନୁହଁ, ତମ ପ୍ରତିଛବି କୁହନ୍ତି... ।।
Poetry Books 50% Off
Bestselling collections from top poets
