ତୁମ ପ୍ରେମ
ତୁମ ପ୍ରେମର ଆଧୁନିକତା ଗହନ ଗହିରରେ ଚାଷ କରିବାର ସକ୍ଷମତା ମୋର ନାହିଁ ମୁଁ ପରା ଆଜି ବି ସେଇ ନବେ ଦଶକର ମଫସଲି ଚାଷୀ ପୁଅଟିଏ। ହୋଇପାରେ ତୁମ ପ୍ରେମ ଆଜିର ଚାକଚକ୍ୟ ପୂର୍ଣ୍ଣ ଜଳ ଜାହାଜ ଟିଏ ମୁଁ ଆଜି ବି ପହିଲି ବରଷାରେ ଚାଳ ଛପରରୁ ବହି ଆସୁଥିବା ପାଣି ଧାରେ କାଗଜ ଡଙ୍ଗା ଭାସାଉଥିବା ଗାଉଁଲି ପିଲା ଟିଏ। ହୋଇପାରେ ତୁମ ପ୍ରେମ ବସନ୍ତର ଆଗମନେ କୋଇଲିର କୁହୁତାନ ମୁଁ ଆଜିବି ସେଇ ଝାଞ୍ଜି ଖରାର ଅପରାହ୍ନରେ ଆସୁଥିବା ଧୂଳି ଝଡଟିଏ। ହୋଇପାରେ ତୁମ ପ୍ରେମ ଶିଶିର ବୁନ୍ଦାରେ ଝଲସି ଉଠୁଥିବା ବିଧୁ କିରଣ ମୁଁ ଆଜିବି ସେଇ ଅମା ଅନ୍ଧକାରେ ଜଳି ଉଠୁଥିବା ଡିବି ଆଲୁଅର ସୂକ୍ଷ୍ମ ଆଲିଙ୍ଗନ। ହୋଇପାରେ ତୁମ ପ୍ରେମ ମୋ ପ୍ରତି କବିତାର ଶେଷ ପଙ୍କ୍ତି ତଥାପି ମୁଁ ତୁମକୁ ଆଦ୍ୟ ଭାବି ପ୍ରତି ଲେଖା ଲେଖୁଥିବା ଅବୁଝା ଲେଖକ ଟିଏ।
Ad
Poetry Books 50% Off
Bestselling collections from top poets
Shop Now →
