ହରି - ହର ଐକ୍ୟ
ହୃଦୟ ମନ୍ଦିରେ ଜାଗେ ହରି ହର ନାଦ, କଣ୍ଠେ କମ୍ପେ ଭକ୍ତିର ଅମୃତ ପ୍ରସାଦ । ନୀଳ ମେଘ ଶ୍ୟାମଳ ମୁରଲୀର ତାନ, ଭସ୍ମ ଭୂଷିତ ଭୋଳା ଦେଖାଏ ମହାଜ୍ଞାନ । ବାସୁଦେବ, ମାଧବ, କେଶବ, ମୁରାରୀ, ଗୋବିନ୍ଦ, ଗୋପାଳ, ରାଧାପ୍ରାଣ ପ୍ୟାରୀ । ଦାମୋଦର, ନାରାୟଣ, ଯଦୁକୁଳ ଧନ, ପଦ୍ମନାଭ, ହୃଷୀକେଶ, ଜଗତ ଜୀବନ । ନନ୍ଦନନ୍ଦନ, ଶ୍ୟାମସୁନ୍ଦର, ମଧୁସୂଦନ, ବଂଶୀଧାରୀ, ଦ୍ୱାରକାନାଥ, ଧର୍ମ ପ୍ରଚୋଦନ । ଲୀଳାମୟ, ଯୋଗେଶ୍ୱର, ଅଚ୍ୟୁତ, ଅନନ୍ତ, ଭକ୍ତିରେ ଲୀନ ହୁଏ ଜନମ ଅସନ୍ତ । ଅପାର କରୁଣାର ଶୀତଳ ଛାୟା, ଶରଣାଗତେ ଦେଉଛ ଅଭୟ ମାୟା । ଶୃଙ୍ଗାର ରସେ ରାଧା ସହ ନୃତ୍ୟ ଲୀଳା, ଅଦ୍ଭୁତେ ମୁଗ୍ଧ କର ତ୍ରିଭୁବନ ଖେଳା । ଏବେ ଶୁଣ ଭୋଳାଙ୍କ ଡମ୍ୱରୁ ନିନାଦ, କୈଳାସ କମ୍ପେ ଯେବେ ଉଠେ ନାମ ନାଦ । ଶଙ୍କର, ଶିବ, ଶମ୍ଭୁ, ମହାଦେବ ନାମ, କଣ୍ଠେ ବିଷ ଧାରି ରଖ ଜଗତ ଧାମ । ନୀଳକଣ୍ଠ, ତ୍ରିଲୋଚନ, ଭୂତନାଥ ଭାବ, ଭସ୍ମାଙ୍ଗ, ଦିଗମ୍ବର, ତପସ୍ୟାର ପ୍ରଭାବ । ଗିରିଶ, ଗଙ୍ଗାଧର, ଚନ୍ଦ୍ରଶେଖର ରୂପ, ଅର୍ଦ୍ଧ-ନାରେଶ୍ୱର ରସେ ଜଗତ ଅନୁପ । ରୁଦ୍ର, ପଶୁପତି, ଭୈରବ, କପାଳୀ, ନଟରାଜ ନୃତ୍ୟେ ଭାଙ୍ଗେ କାଳର ଜାଳୀ । ଈଶାନ, ମହେଶ, ସଦାଶିବ ତତ୍ତ୍ୱ, ଲୟ–ସୃଷ୍ଟିରେ ତୁମେ ଅନାଦି ସତ୍ତ୍ୱ । ଭୟାନକ ଶାନ୍ତ ହୁଏ ଶିବ ଧ୍ୟାନେ, କରୁଣା ଝରେ ଗଙ୍ଗା ଭକ୍ତ ମନେ ପ୍ରାଣେ । ବୀର ରସେ ରୁଦ୍ର ରୂପ ଦୁଷ୍ଟ ନାଶ, ଶାନ୍ତ ରସେ ଲୀନ ହୁଏ ସଂସାର ଆଶ । ହରି ହେଲେ ପ୍ରେମ, ହର ହେଲେ ଜ୍ଞାନ, ଦୁଇ ଧାରା ମିଶି ଗଢ଼େ ଏକ ପରମାନ । ଭକ୍ତିରେ ଦୁହେଁ ଏକ, ଭାବରେ ଅଭେଦ, ହର–ହରି ଐକ୍ୟ ହିଁ ସତ୍ୟର ବେଦ । ପରିଚୟ - ସ୍ମୃତିହିନ ଲେଖକ ରାଜେଶ୍ 🙏
Poetry Books 50% Off
Bestselling collections from top poets
